ବିଜେଡିର ବିଶାଳ ଟିମ୍: ୧୦ ବରିଷ୍ଠ ନେତାଙ୍କୁ ଛାମୁଆ ସଂଗଠନ ଦାୟିତ୍ବ, ରାଜ୍ୟ କମିଟିରେ ୮୧ ଜଣ
ଭୁବନେଶ୍ବର: ବହୁ ଛକାପଞ୍ଝା ପରେ ବିଜେଡି ତା’ର ରାଜ୍ୟ କର୍ମକର୍ତ୍ତାଙ୍କ ନାମ ଘୋଷଣା କରିଛି। ଶତାଧିକ ନେତାଙ୍କୁ ବିଭିନ୍ନ ପଦପଦବିରେ ଥଇଥାନ କରାଯାଇଛି। ରାଜ୍ୟ ଶାଖାରେ ୮୧ ଜଣଙ୍କୁ ନିଯୁକ୍ତି ଦିଆଯାଇଥିଲା ବେଳେ ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କୁ ୧୦ଟି ଛାମୁଆ ସଂଗଠନର ଦାୟିତ୍ବ ଦିଆଯାଇଛି। ସଂଖ୍ୟାଲଘୁ ସେଲ୍ର ପୁନର୍ଗଠନ କରାଯାଇଥିବା ବେଳେ ୫ଟି ସାଂଗଠନିକ ଜିଲ୍ଲାର ସଭାପତି ନିଯୁକ୍ତି କରାଯାଇଛି। ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିକ୍ରମେ ସାଂଗଠନିକ ସମ୍ପାଦକ ପଦବିକୁ ହଟାଇ ଦିଆଯାଇଛି।
ବିଜେଡିର ରାଜ୍ୟ ଟିମ୍ରେ ୧୩ ଜଣ ବରିଷ୍ଠ ଉପସଭାପତି, ୧୦ ଜଣ ଉପସଭାପତି, ୨୨ ଜଣ ବରିଷ୍ଠ ସାଧାରଣ ସମ୍ପାଦକ, ୩୫ ଜଣ ସାଧାରଣ ସମ୍ପାଦକ ଓ ଜଣେ କୋଷାଧ୍ୟକ୍ଷଙ୍କୁ ନିଯୁକ୍ତି ଦିଆଯାଇଛି। ଦେବୀପ୍ରସାଦ ମିଶ୍ର, ପ୍ରଫୁଲ୍ଲ ସାମଲ, ଉଷା ଦେବୀ, ବିକ୍ରମ କେଶରୀ ଆରୁଖ, ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ଚନ୍ଦ୍ରଶେଖର ସାହୁଙ୍କୁ ବରିଷ୍ଠ ଉପସଭାପତି କରାଯାଇଛି। ପ୍ରତାପ ଜେନା, ଅତନୁ ସବ୍ୟସାଚୀ ନାୟକ, ରାଜେନ୍ଦ୍ର ଢୋଲକିଆ, ସଞ୍ଜୟ ଦାସବର୍ମା, ରବିନାରାୟଣ ନନ୍ଦ, ଅଶ୍ବିନୀ କୁମାର ପାତ୍ର, ପ୍ରଣବ ପ୍ରକାଶ ଦାସ ଓ ଶାରଦା ପ୍ରସାଦ ନାୟକଙ୍କୁ ଉପସଭାପତି ଏବଂ ସୁବାସ ସିଂହଙ୍କୁ କୋଷାଧ୍ୟକ୍ଷ କରାଯାଇଛି। ଏମାନଙ୍କ ମଧ୍ୟରୁ ଦେବୀପ୍ରସାଦ ମିଶ୍ର ଓ ପ୍ରତାପ ଜେନା ମୁଖ୍ୟାଳୟ ଦାୟିତ୍ବରେ ରହିବେ। ୬ ଜଣ ବରିଷ୍ଠ ଉପସଭାପତିଙ୍କୁ ୬ଟି ଛାମୁଆ ସଂଗଠନର ଆବାହକ କରାଯାଇଛି। ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବିଜୁ କୃଷକ ଜନତା ଦଳ, ଅନଙ୍ଗଉଦୟ ସିଂହଦେଓଙ୍କୁ ବିଜେଡି ଆଞ୍ଚଳିକ ବିକାଶ ସେଲ୍, ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ସମବାୟ ସେଲ୍, ବଦ୍ରିନାରାୟଣ ପାତ୍ରଙ୍କୁ ଶିକ୍ଷା ଓ ଶିକ୍ଷକ ସେଲ୍, ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କୁ ମତ୍ସ୍ୟଜୀବୀ ସେଲ୍ ଓ ମଙ୍ଗଳା କିଷାନଙ୍କୁ ଅନୁସୂଚିତ ଜନଜାତି ସେଲ୍ର ଆବାହକ ଦାୟିତ୍ବ ଦିଆଯାଇଛି। ସେହିପରି ଉପସଭାପତି ଦେବାଶିଷ ସାମନ୍ତରାୟଙ୍କୁ ବରିଷ୍ଠ ନାଗରିକ ସେଲ୍ ଓ ଅରୁଣ କୁମାର ସାହୁଙ୍କୁ ଓବିସି ସେଲ୍ର ଆବାହକ ଭାବେ ନିଯୁକ୍ତି ମିଳିଛି। ବରିଷ୍ଠ ସାଧାରଣ ସମ୍ପାଦକ ମହେଶ ସାହୁଙ୍କୁ ଅନୁସୂଚିତ ଜାତି ସେଲ୍ ଓ ଅମର ପଟ୍ଟନାୟକଙ୍କୁ ଆଇଟି ଓ ସାମାଜିକ ଗଣମାଧ୍ୟମ ସେଲ୍ ଦାୟିତ୍ବ ଦିଆଯାଇଛି।